ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିବା ନେଇ କ୍ଷୋଭ ପ୍ରକାଶ କଲେ ପବନ କଲ୍ୟାଣ

ବିଶାଖାପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପଶବ୍ଦ କହିବା ଘଟଣାରେ କ୍ଷୋଭ ପ୍ରକାଶ କରି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ କହିଛନ୍ତି ଯେ ମୋଦୀଙ୍କ ସଂଘର୍ଷ ବିଷୟରେ ନୂଆ ପିଢ଼ି କ’ଣ ଜାଣେ? ଜଣେ ବ୍ୟକ୍ତି ଦେଶ ପାଇଁ ଯେତେ ଅଧିକ କାମ କରିବେ, ସେତେ ଅଧିକ ସମାଲୋଚନାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି। ଶନିବାର ବିଶାଖାପାଟଣା ନିକଟ ଭୋଗପୁରମ୍‌ରେ ପ୍ରାୟ ୫,୭୦୦ କୋଟି ଟଙ୍କାରେ ନିର୍ମିତ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟିତ ହେବା ଅବସରରେ ଆୟୋଜିତ ଜନସଭାରେ ପବନ କଲ୍ୟାଣ ଏହି ମତ ଦେଇଥିଲେ। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟକୁ ନେଇ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଓ ଜେନ୍‌-ଜେଡ୍‌ ପକ୍ଷରୁ ହୋଇଥିବା ଆନ୍ଦୋଳନ ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କେତେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିବା ପ୍ରସଙ୍ଗରେ ସେ ଏହା କହିଥିଲେ। ଏହି ଆନ୍ଦୋଳନରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଥିଲା। ଜନସେନା ପାର୍ଟିର ପ୍ରତିଷ୍ଠାତା ପବନ କହିଥିଲେ, ମୋଦୀଙ୍କୁ ଅକଥନୀୟ ଭାଷାରେ ଗାଳିଗୁଲଜ କରାଯିବା ଦେଖି ତାଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ସେ ଗଭୀର ଭାବେ ବ୍ୟଥିତ ହୋଇଥିଲେ। ଦେଶ ପାଇଁ ଦିନରାତି ପରିଶ୍ରମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଏହା କ’ଣ ଆମର ପୁରସ୍କାର ବୋଲି ସେ ପ୍ରଶ୍ନ କରିଥିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇନାହାନ୍ତି ବୋଲି ସେ ଦାବି କରିଥିଲେ। ଦେଶକୁ ଆଗକୁ ନେବା ସମୟରେ ମୋଦୀ ଗୋଟିଏ ପଟେ ଶତ୍ରୁ ରାଷ୍ଟ୍ର, ଅନ୍ୟପଟେ ଭାରତର ବିକାଶରେ ଈର୍ଷାନ୍ବିତ ପାଶ୍ଚାତ୍ୟ ଦେଶ ଏବଂ ଦେଶ ଭିତରର ବିରୋଧୀ ଶକ୍ତି ସହ ଲଢ଼ୁଛନ୍ତି। ଅନେକ ଲୋକ ୧୪୪ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପଛକୁ ଟାଣୁଥିବାବେଳେ ମୋଦୀ ଏକାକୀ ତାହାକୁ ଆଗକୁ ନେଉଛନ୍ତି। ଦେଶରେ ତାଙ୍କୁ ଟପିପାରିବା ଭଳି କୌଣସି ନେତା ନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେଭଳି ନେତା ଆସିବା ସମ୍ଭାବନା ନାହିଁ ବୋଲି ପବନ ମତ ଦେଇଥିଲେ। ଉତ୍ତର ଆନ୍ଧ୍ରପ୍ରଦେଶରେ ବିମାନବନ୍ଦର ପ୍ରତିଷ୍ଠା ଏବଂ ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ଶ୍ରେୟ ମଧ୍ୟ ସେ ମୋଦୀଙ୍କୁ ଦେଇଥିଲେ। ଭୋଗପୁରମ୍‌ ବିମାନବନ୍ଦର ବିଜେପି, ତେଲୁଗୁ ଦେଶମ୍‌ ପାର୍ଟି ଓ ଜନସେନା ମେଣ୍ଟର ସୁଫଳ ବୋଲି ସେ କହିଥିଲେ। ସାମ୍ପ୍ରତିକ ଆନ୍ଦୋଳନ ପରିପ୍ରେକ୍ଷୀରେ ଅଭିଭାବକମାନେ ନିଜର ୨୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଉପଯୁକ୍ତ ମୂଲ୍ୟବୋଧ ଶିକ୍ଷା ଦେଇ ଠିକ୍‌ ପଥରେ ପରିଚାଳିତ କରିବାକୁ ପବନ ପରାମର୍ଶ ଦେଇଥିଲେ।

Aug 2, 2026 - 19:49
 0  1

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
Ajay Ajya Kumar Behera is the founder and editor of APANANKA SWAR and a passionate advocate of truthful and responsible journalism. Dedicated to serving society through accurate reporting and public-interest news, he believes in the values of truth, transparency, and trust. Through APANANKA SWAR, he strives to inform, empower, and connect communities across Odisha.